Indus Valley Times

ବୌଦ୍ଧରେ ନଭେମ୍ବର ୨୫ – ୨୬ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ହେବ : ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

 Breaking News

ବୌଦ୍ଧରେ ନଭେମ୍ବର ୨୫ – ୨୬ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ହେବ : ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

ବୌଦ୍ଧରେ ନଭେମ୍ବର ୨୫ – ୨୬ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ହେବ : ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ
November 03
21:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୧୧ : ଆସନ୍ତା ନଭେମ୍ବର ୨୫ ଓ ୨୬ ତାରିଖରେ ବୌଦ୍ଧ ଜିଲ୍ଲାର ସ୍ଥାନୀୟ କଚେରି ପଡ଼ିଆଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହେବ।
ଏହି ମେଳାର ସଫଳ ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଏବଂ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା. ଦିଲ୍ଲୀପ କୁମାର କବିରାଜ ଉପସ୍ଥିତ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ସ୍ୱାଗତ କରିବା ସହିତ ବୈଠକର ଉଦ୍ଦେଶ୍ୟ ଓ ମେଳାର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ।
ମେଳାରେ ମୋଟ ୩୦ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯିବ। ଏଥିମଧ୍ୟରୁ ପ୍ରାଣୀସମ୍ପଦ ବିଭାଗର ୫ଟି, ମତ୍ସ୍ୟ ବିଭାଗର ୫ଟି, ଅନ୍ୟାନ୍ୟ ବିଭାଗର ୧୦ଟି ଏବଂ ଜୀବନ୍ତ ପଶୁପକ୍ଷୀ ଓ ମତ୍ସ୍ୟସମ୍ପଦର ପ୍ରଦର୍ଶନ ନିମନ୍ତେ ୧୦ଟି ଷ୍ଟଲ୍ ରହିବ। ଏହି ଷ୍ଟଲ୍‌ଗୁଡ଼ିକ ମାଧ୍ୟମରେ ଚାଷୀମାନେ ବିଭିନ୍ନ ଉନ୍ନତ ପ୍ରଜାତି, ଆଧୁନିକ ଚାଷ ପଦ୍ଧତି, ସରକାରୀ ଯୋଜନା ଓ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହୋଇପାରିବେ।
ମେଳାର ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୫୦୦ ଜଣ ଚାଷୀ ଓ ହିତାଧିକାରୀ ଏବଂ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର ସଫଳ ଚାଷୀମାନଙ୍କୁ ମେଳାରେ ସମ୍ବର୍ଦ୍ଧିତ କରାଯିବ।
ଏଥିସହିତ ସେମାନେ ନିଜ ନିଜର ସଫଳତାର ଅନୁଭୂତି ଓ କାହାଣୀ ଅନ୍ୟ ଚାଷୀମାନଙ୍କ ସହ ବାଣ୍ଟିବେ, ଯାହା ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଇବ।
ଚାଷୀମାନଙ୍କୁ ଆଧୁନିକ ଓ ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କୁ ନେଇ ଆଲୋଚନାଚକ୍ର ଓ ସିମ୍ପୋସିୟମ୍ ଆୟୋଜନ କରାଯିବ।
ଏହାଦ୍ୱାରା ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ଉତ୍ପାଦନ ବୃଦ୍ଧି, ଆୟ ବୃଦ୍ଧି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ସମ୍ପର୍କରେ ଉପଯୁକ୍ତ ମାର୍ଗଦର୍ଶନ ପାଇପାରିବେ।
ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅଙ୍କିତା ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାସ, ଏସ୍‌ଡିଭିଓ ଡା. ତପନ କୁମାର ଦ୍ୱିବେଦୀ, ଏଡିଏଚ୍ ଶୁଭେନ୍ଦୁ କୁମାର ବିଶ୍ୱାସ, ଏଡିଭିଓ ଡା. ଅଭିମନ୍ୟୁ ରାଉତ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଲିସା ବେହେରା, ଏଫ୍‌ଓ ଚିନ୍ମୟୀ ବେହେରା, ଏଲ୍‌ଡିଏମ୍ ଡନ୍ ବସ୍କୋ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ନାୟକ ମେଳାର ସଫଳ ଆୟୋଜନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଷ୍ଟଲ୍‌ଗୁଡ଼ିକର ସୁବ୍ୟବସ୍ଥା, ଚାଷୀ ଓ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30