Indus Valley Times

ସମ୍ବଲପୁର ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

 Breaking News

ସମ୍ବଲପୁର ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

June 25
23:01 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୬ : ସମ୍ବଲପୁର ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦିନ ୧୧ ଘଣ୍ଟା ସମୟରେ ଶ୍ରୀଯୁକ୍ତ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲାପାଳ ସତ୍ୟରଂଜନ ସାହୁ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ
ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ବ୍ରିଜଛକଠାରେ ମହାନଦୀ କୂଳରେ ବୌଦ୍ଧଗଡ ଏନଏସି ପକ୍ଷରୁ ଚାଲିଥିବା ପଶ୍ଚିମା ଭବନ କାର୍ଯ୍ୟ ବୁଲି ଦେଖିବା ସହିତ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୁର୍ଣ୍ଣ ନେଇ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ଡିସେମ୍ବର ମାସ ମଧ୍ୟରେ ପଶ୍ଚିମା ଭବନ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ଶ୍ରୀଯୁକ୍ତ ଦଳେଇ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପ ମଧ୍ୟରେ ହେବାକୁଥିବା ସୁବିଧା ସୁଯୋଗ ନେଇ ପଚାରି ବୁଝିଥିଲେ ।
ପଶ୍ଚିମା ଭବନ ପ୍ରକଳ୍ପକୁ ରାଜସ୍ୱ କମିଶନର ପ୍ରଶଂସା କରିବା ସହିତ ଉପଯୁକ୍ତ ସ୍ଥାନରେ ଏହାକୁ ନିର୍ମାଣ କରାଯାଉଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।
ସେଠାରୁ ଗାଈଗୋଠ ପଡିଆଠାରେ ନିର୍ମିତ ବିଜୁ ଆଦର୍ଶ କଲୋନୀରେ ପହଞ୍ଚି ପୁର୍ନଥଇଥାନ ଯୋଜନାର ଅନୁଧ୍ୟାନ କରିବା ସହିତ ସେଠାରେ କମ୍ୟୁନିଟି ସେଣ୍ଟର ଠାରେ ମହିଳା ସ୍ୱୟଂସିହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ମହାନଦୀର ଚନ୍ଦ୍ରଚୂଡ ମନ୍ଦିର ନିକଟରେ ନିର୍ମାଣାଧିନ ବହୁ ପ୍ରତୀକ୍ଷିତ ମହାନଦୀ ଆଳତୀ ଘାଟ ପ୍ରକଳ୍ପ ବୁଲିଦେଖିବା ସହିତ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ପ୍ରକାଶଥାଉକି, ଜିଲାପାଳ ସତ୍ୟରଂଜନ ସାହୁଙ୍କ ଏକ ଡ୍ରିମ ପ୍ରୋଜେକ୍ଟ ଭାବରେ ମହାନଦୀ ଆଳତୀ ଘାଟ ନିର୍ମାଣ କାର‌୍ୟ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ନିକଟ ଭବିଷ୍ୟତରେ ଏହାର ଉଦଘାଟନ କରାଯିବାକୁ ଯୋଜନା ରହିଛି । ସେଠାରୁ ଶ୍ରୀଯୁକ୍ତ ଦଳେଇ କୋଭିଡ ଚିକିତ୍ସାଳୟଠାରେ ପହଞ୍ଚି ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ନିର୍ମାଣାଧିନ କିଡନୀ ରୋଗ ଚିକିତ୍ସା କେନ୍ଦ୍ର ଓ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ ।
ସେଠାରୁ ଜିଲା ପାଠାଗାରଠାରେ ମୁକ୍ତା ଯୋଜନାରେ ନିର୍ମାଣ ହେବାକୁ ଥିବା ଚଲାପଥ, ମୁକ୍ତ ବ୍ୟୟାମଶାଳା ଓ ମୁକ୍ତ ପାଠାଗାର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ଦଳେଇ ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପଢିବା ପାଇଁ ରହିଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଦେଖି ପ୍ରଶଂସା କରିବା ସହିତ କର୍ମଚାରୀମାନେ ଠିକ୍ ଭାବରେ ଏହାକୁ ପରିଚାଳନା କରିବା ପାଇଁ ତାଗିଦ୍ କରିଥିଲେ । ସେଠାରୁ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ବୁଲି ଦେଖିବା ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶୀରାମ ବଳରାମ ଅବତାର ବେଶ ଦର୍ଶନ କରିଥିଲେ ।
ପରେ ଆଦର୍ଶ କୃଷକ ବଜାର ପରିଦର୍ଶନ କରିବା ସହିତ ନିର୍ମାଣାଧିନ ଆଦର୍ଶ ମାଛ ବଜାର, ବୁଣାକାର ହାଟ,ଦୈନିକ ପରିବା ବଜାର ଏବଂ ମିଲେଟ ଓ ମିଶନ ଶକ୍ତି କାଫେ ଦେଖିଥିଲେ । ପରେ ଶ୍ରୀଯୁକ୍ତ ଦଳେଇ ଜିଲାର ସର୍ବପୂରାତନ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପ୍ରଥମ ପର୍ଯ୍ୟାୟ ୫ ଟିରେ ରୂପାନ୍ତରୀତ ହେବା ସତ୍ୱେ ଛାତ୍ରମାନଙ୍କ ପରୀକ୍ଷା ଫଳ ଆଶାଜନକ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଶ୍ରୀଯୁକ୍ତ ଦଳେଇ ଆଲୋଚନା କରି ବିଦ୍ୟାଳୟରେ ଶିକ୍ଷାର ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଛାତ୍ରମାନଙ୍କୁ ନିଜର ସନ୍ତାନ ଭଳି ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ରହିଥିବା କିଛି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅତିଥି ଭବନରେ ପହଞ୍ଚି ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ । ବିଶେଷ ଭାବରେ ରାଜସ୍ୱ ଆଦାୟ,ମୋ ସରକାର ଯୋଜନା,ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ସଠିକ୍ ପରିଚାଳନା,ସାଧାରଣଲୋକଙ୍କୁ ସଠିକ୍ ସମୟରେ ପ୍ରମାଣପତ୍ର ଯୋଗାଇଦେବା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ଆଧୁନିକିକରଣ, କେମ୍ପ କୋର୍ଟ,ନିୟମିତ ଆଭାସି ବୈଠ,ଇ ପାଉତି ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟୁତ ବିଭାଗ ପକ୍ଷରୁ ଭିତିଭୁମି ଅନୁଧ୍ୟାନ କରି ଲୋକଙ୍କୁ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ମଧ୍ୟାହ୍ନ ଭୋଜନ ପରେ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ହରଭଙ୍ଗା ବ୍ଲକର ବଡବନ୍ଧ କନ୍ୟାଶ୍ରମଠାରେ ପହଞ୍ଚି ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ରାଜସ୍ୱ କମିଶନରଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲାପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶିଷ୍ଟ ଠିକାଦାର ସତ୍ୟବାଦୀ ପଣ୍ଡାଙ୍କ ପରଲୋକ
ବୌଦ୍ଧ,୨୫/୬: ବୌଦ୍ଧର ଜଣାଶୁଣା ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ସତ୍ୟବାଦୀ ପଣ୍ଡା(୯୩)ଙ୍କର ଶୁକ୍ରବାର ଦିନ ରାତିରେ ଭୁବନେଶ୍ୱର ଠାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଦୀର୍ଘଦିନ ହେଲା ଅସୁସ୍ଥ ଥିବାବେଳେ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତ ଶୁକ୍ରବାର ରାତ୍ରିରେ ତାଙ୍କର ପରଲୋକ ହୋଇଯାଇଥିଲା ।
ମୃତ୍ୟୁ ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିବା ଜଣାଯାଇଛି । ବଡପୁଅ ଶିକ୍ଷାବିତ ତଥା ସମାଜସେବୀ ଇଂ. ଡ. ସଂଜୟ କୁମାର ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ । ସେ ଜଣେ ମିଷ୍ଟଭାଷୀ କର୍ମଠ ମଣିଷ ହୋଇଥିବାବେଳେ ସଂଘର୍ଷ କରି ସେ ନିଜକୁ ଜଣେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଭାବରେ ପରିଚୟ ସୃଷ୍ଟି କରିପାରିଥିଲେ । ବୌଦ୍ଧର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ପରିଚିତ ହେଉଥିବା ବେଳେ ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିସହ ବିଭିନ୍ନ ମନ୍ଦିରରେ ଦେବପର୍ବ କାର୍ଯ୍ୟ ତାଙ୍କ ଦ୍ୱାରା ସଂପାଦିତ ହୋଇଛି । ତାଙ୍କରି ବିୟୋଗରେ ଜିଲ୍ଲାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୋକ ପ୍ରକଟ କରିଛନ୍ତି ।
ବିଦ୍ୟୁତ ଘାତରେ ୪ ଶ୍ରମିକ ଆହତ
ବୌଦ୍ଧ,୨୫/୬: ବୌଦ୍ଧ ସହର ବୁଟୁପାଲି ଠାରେ ଏକ ଘରେ ଛାତ ପଡୁଥିବା ସମୟରେ ବିଦ୍ୟୁତ ତାର ସ୍ପଶ୍ୱର୍ରେ ଆସି ୪ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସୂଚନା ମତେ ବୁଟୁପାଲି ଠାରେ ଜୈନିକ ବ୍ୟକ୍ତିଙ୍କ ଘରର ଛାତ ପକାଉଥିବା ବେଳେ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂପର୍ଶରେ କୌଣସି କାରଣରୁ ଲାଗି ଯାଇ ୪ ଜଣ ଶ୍ରମିକ ଆହତ ହୋଇଥିବା ଜଣାପାଡିଛି । ବିଦ୍ୟୁତ ସଂପର୍ଶରେ ଲାଗିବା ପରେ ଶ୍ରମିକ ମାନେ ଘରର ଛାତ ଉପରୁ ତଳକୁ ଖସିପଡିଥିଲେ ।
ଖସି ପଢିବା ପରେ ଆହତ ହେବା ପରେ ସେମାନଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ମାନେ ମାନେ ହେଲେ ବୌଦ୍ଧ ସହର ମର୍ଯ୍ୟାକୁଦର ବିମଳ ସେଠୀ (୨୬) , ପିଣ୍ଟୁମାଝୀ ( ୨୬) ମାଉଲସିଙ୍ଗାର ପରଦେଶ ନାଏକ ( ୨୨) ଓ କାଲେଶ୍ୱରର ହିରାଲାଲ ସାହୁ ( ୩୧) । ବିମଳ ସେଠୀକୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଈଥିବ ବେଳେ ଅନ୍ୟ ୩ ଆହତ ମେଡିକାଲରେ ଚିିକିତ୍ସତ ହେଉଛନ୍ତି ।
ରାମ ବଳରାମ ବେଶରେ ଆଜି ଦର୍ଶନ ଦେଲେ ପ୍ରଭୁ, ବାହୁଡାଯାତ୍ରା ପାଇଁ ଦକ୍ଷିଣମୋଡ କରାଗଲା ରଥ
ବୌଦ୍ଧ,୨୫/୬: ବୌଦ୍ଧ ମାଉସୀ ମା ମନ୍ଦିର ଆଡପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଆଜି ରାମ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତ୍ରେତେୟାରେ ରାମ ବେଶରେ ପ୍ରଭୁଙ୍କ ଲୀଳା ଓ ଦ୍ୱାପରରେ ବଳରାମ ଅବତାରକୁ ଏଠାରେ ପ୍ରଦର୍ଶନ କରାଯାଇଛି । ଦିନ ତମାମ ଆଜି ବର୍ଷା ଲାଗିରହିଥିଲେ ମଧ୍ୟ ସଂଧ୍ୟାରେ ଠାକୁରଙ୍କୁ ଦର୍ଶନ ଓ ଭଜନ ସଂଧ୍ୟା ପାଇଁ ଭକ୍ତଙ୍କ ଭିଡ ଦେଖାଯାଇଥିଲା ।
ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଭିଡକୁ ନିୟନ୍ତ୍ରଣ କରାଯାଉଛି । ସେପାଖେ ଗତକାଲି ମା ଲକ୍ଷ୍ମୀଙ୍କୁ ପ୍ରଭୁ ତିନି ଦିନ ଭିତରେ ସ୍ୱମନ୍ଦିର ବାହୁଡିବାକୁ ଦେଇଥିବା ପ୍ରତିଶୃତି ଅନୁଯାଇ ଆଜି ପ୍ରଭୁଙ୍କ ନିର୍ଦ୍ଦେଶରେ ମହାରଣା ସେବକ ମାନେ ରଥକୁ ଦକ୍ଷିଣମୋଡ କରି ବାହୁଡା ଯାତ୍ରାପାଇଁ ପ୍ରସ୍ତୁତ ରଖିଛନ୍ତି । ଆସନ୍ତା ମଙ୍ଗଳବାର ପ୍ରଭୁଙ୍କୁ ବାହୁଡା ଯାତ୍ରା ଓ ବୁଧବାର ରଥାରୂଢ ଠାକୁର ସୁନା ବେଶରେ ଦର୍ଶନ ଦେବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031