୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ବର ୧୬/୧୦: ୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକ କଟକ ଠାରେ ଜନ୍ମଗ୍ରହଣ କରିଥିଲେ ।
ବାପା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳମଣ୍ଡନ କରିଥିଲେ ନବୀନ । ବାପା ଜନନାୟକ ତଥା ପ୍ରବାଦ ପୁରୁଷ ଭାବରେ ପରିଚିତ ବିଜୁ ପଟ୍ଟନାୟକ ଓ ମାଆ ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ହେଉଛନ୍ତି ନବୀନ ।
କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ବ ନେଇ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ ।
୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦ୍ବୀ ଜନନାୟକ ।
ସେ କ୍ରମାଗତ ଭାବେ ୫ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୨୪ ପର୍ୟ୍ୟନ୍ତ କାର୍ୟ୍ୟଭାର ତୁଲାଉଥିଲେ । ବିଜେଡି ସରକାରରୁ ଯିବା ପରେ ବର୍ତ୍ତମାନ ସେ ବିରୋଧୀ ଦଳ ନେତା ଭାବରେ ଦ୍ବାୟିତ୍ବରେ ଅଛନ୍ତି ।
ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ୨୪ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ସେ ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ୟ୍ୟ କରୁଛନ୍ତି । ନବୀନଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ବିଶିଷ୍ଟ ରାଜନେତା ଓ ଶୁଭେଚ୍ଛୁ ତାଙ୍କୁ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।






