ପାରିବାରିକ କଳହର ଉଗ୍ର ରୂପ; ବୋହୂ ପରେ ଚାଲିଗଲା ପୁଅ
କଟକ, ୬/୧୨: ଯେଉଁ ବାପା ଦିନେ ଜନ୍ମ ଦେଇଥିଲେ, ସେହି ବାପା ଆଜି ପୁଅର ଜୀବନ ନେଇ ଯାଇଛି । ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ବୋହୂ ପରେ ଆଖି ବୁଜିଛି ପୁଅ । କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ମୃତ ପୁଅଙ୍କ ନାମ ଦୀନବନ୍ଧୁ ରାଉତ । ୬ ଦିନ ତଳେ ତାଙ୍କ ସ୍ତ୍ରୀ ସସ୍ମିତା ରାଉତଙ୍କର ମୃତ୍ୟୁ ହୋଇସାରିଛି ।
ଗତ ନଭେମ୍ବର ୩୦ ଶନିବାର ତାରିଖରେ କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ଅଧୀନ ବାରଶିଙ୍ଗାର ଗ୍ରାମର ଗୋବର୍ଦ୍ଧନ ରାଉତଙ୍କର ଗୋଟିଏ ମାତ୍ର ପୁଅ ଥିଲେ ଦୀନବନ୍ଧୁ । ଦୀନବନ୍ଧୁ ସକାଳେ ଖାଇ ବସିଥିବାବେଳେ ତାଙ୍କ ସ୍ତ୍ରୀ ସସ୍ମିତା ତାଙ୍କ ପାଖରେ ବସିଥିଲେ ।
ଏହି ସମୟରେ ଗୋବର୍ଦ୍ଧନ ନିଆଁ ହୁଳା ଓ କିରୋସିନି ଧରି ଆସି ଘରେ ପହଁଚି ଯାଇଥିଲେ । ବାପା ପୁଅ ଉପରକୁ ନିଆଁ ହୁଳା ପକାଇ ଦେଇ ହଠାତ୍ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଦୀନବନ୍ଧୁ ଜଳୁ ଥିବା ଅବସ୍ଥାରେ ସ୍ତ୍ରୀ ଆସି ସ୍ୱାମୀଙ୍କୁ ବଞ୍ଚାଉଥିବା ବେଳେ ନିଜେ ନିଆଁରେ ଜଳିଯାଇଥିଲେ । ସାହି ପଡ଼ିଶା ଚିତ୍କାର ଶୁଣ ଧାଇଁ ଆସିଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ସସ୍ମିତା ଏକ ଘରୋଇ ମେଡ଼ିକାଳରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଦୀନବନ୍ଧୁ ଏସସିବିର ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଦୀନବନ୍ଧୁଙ୍କ ବୃଦ୍ଧା ଜେଜେମା ଓ ତାଙ୍କର ଏକ ଶିଶୁ ପୁତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାରଙ୍ଗ ଥାନା ପୁଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଗୋବର୍ଦ୍ଧନକୁ ପୁଲିସ ଗିରଫ କରିଥିବାବେଳେ ସେ ନିଜ ଦୋଷ ସ୍ୱୀକାର କରିଛନ୍ତି ।
ତେବେ ଗୋବର୍ଦ୍ଧନଙ୍କ ବୃଦ୍ଧା ମାଆଙ୍କ କହିବା ମୁତାବକ ତାଙ୍କ ପୁଅ ସବୁବେଳେ ନିଶା ସକ୍ତ ଅବସ୍ଥାରେ ରୁହନ୍ତି । ଟଙ୍କା ପଇସା ପାଇଁ ସବୁବେଳେ ପୁଅ ବୋହୂଙ୍କ ସହିତ ଝଗଡ଼ା ମଧ୍ୟ କରନ୍ତି । ତେବେ କିଛି ଦିନ ତଳେ ନିଜ ନାତିକୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଛି ।