Indus Valley Times

ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା

 Breaking News

ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା

June 19
20:17 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୯/୬ : ଆଜି ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଡାଇରିଆ ରୋଗୀଙ୍କୁ ରେଟି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଡାଇରିଆ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
ଏହି ବୈଠକରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜୁନ ୧୦ ତାରିଖରୁ ହଠାତ୍ ଆରମ୍ଭ ହୋଇଥିବା ଡାଇରିଆ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଓ ଜଳଉତ୍ସ ବିଶୁଦ୍ଧିକରଣ ଏବଂ ସୂଚନା ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସକ, ଏସ.ସି.ବି ରୁ ଆସିଥିବା ମେଡିକାଲ ଟିମ୍, ଅଧିକ ଆସିଷ୍ଟାଣ୍ଟ ପ୍ରଫେସର, ଟ୍ୟୁଟର୍ ମାନଙ୍କୁ ପଠାଯାଇଛି।
ସମସ୍ତଙ୍କୁ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରିବାକୁ ସୂଚିତ କରାଯାଇଛି। ପ୍ରତ୍ୟେକ ରୋଗୀଙ୍କ ପରିଚାରକଙ୍କୁ ୩୦୦ ମି.ଗ୍ରା ର ଡୋକ୍ସିସାଇକ୍ଲିନ୍ ପ୍ରତିଷେଧକ ପ୍ରଦାନ କରାଯାଇଛି। ଜିଲ୍ଲାରେ ବହୁଳ ମାତ୍ରାରେ ସରକାରୀ, ବେସରକାରୀ ଟ୍ୟୁବ୍ ୱେଲ୍, କୂଅ, ଓଭର ହେଡ ଟାଙ୍କି ଖୋଲା ଜଳଉତ୍ସ ଗୁଡ଼ିକୁ ବିଶୁଦ୍ଧିକରଣ କରାଯାଇଛି ।
ଯେଉଁଠି ବେଶୀ ସଂକ୍ରମଣ ଦେଖାଦେଉଛି ସେଠାରେ ପ୍ରତିଦିନ ଏବଂ ଦିନେ ଛାଡ଼ି ଦିନେ କ୍ଲୋରିନେସନ H2S କିଟ୍ ମାଧ୍ୟମରେ ଜଳ ପରୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି। ଆଶା, ଅଙ୍ଗନୱାଡି କର୍ମୀ, ଏସ.ଏଚ.ଜି, ସ୍ଵାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ଓ ଆର ଏସ ହୋଲୋଜେନ ବଟିକା, ସାବୁନ୍ ବଣ୍ଟନ କରାଯାଉଛି।
ସମସ୍ତଙ୍କୁ ଫୁଟା ପାଣି ପିଇବା, ଘରେ ଗରମ ରନ୍ଧା ଖାଦ୍ୟ ଖାଇବା, ଖୋଲା ସ୍ଥାନରେ ମଳ ତ୍ୟାଗ ନକରିବା ଶୌଚାଳୟ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ସମସ୍ତ ଜାଗାରେ ଠିକ୍ ଭାବେ ଜଳ ବିଶୁଦ୍ଧିକରଣ ହେଉଛି କି ନାହିଁ ତାହାକୁ ବରିଷ୍ଠ ଅଧିକାରୀମାନେ ତଦାରଖ କରିବେ।
ଦ୍ଵିତୀୟ ବର୍ଗର ଅଧିକାରୀମାନେ ଗାଁ କୁ ଯାଇ ଉପଯୁକ୍ତ କ୍ଲୋରିନେସନ୍ ହେଉଛି କି ନାହିଁ ତଦାରଖ କରିବେ। କମ୍ୟୁନିଟି ସରକାରୀ କର୍ମଚାରୀମାନେ ଡାଇରିଆ ଚେନ୍ କୁ ଭାଙ୍ଗିବାର ବହୁତ୍ ବଡ଼ ଭୂମିକା ରହିଛି। ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍.ଏମ ଓ ଜନ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ମାନଙ୍କୁ ବିଶ୍ୱାସକୁ ନେଇ ସମ୍ବେଦନଶୀଳ ଅଞ୍ଚଳରେ ସଚେତନତା ବାର୍ତ୍ତା ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନର ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ।
ଯେଉଁ ଲୋକ ମେଡିକାଲରୁ ଚିକିତ୍ସିତ ହୋଇ ଫେରୁଛନ୍ତି ତାଙ୍କ ସହିତ ନିୟମିତ ଯୋଗାଯୋଗରେ ରହି ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ପରାମର୍ଶ ଦେଇଥିଲେ । ଡାଇରିଆ ନିୟନ୍ତ୍ରଣ ହେଲେ ମଧ୍ୟ ୧ ମାସ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଥା ଡିସଇନ୍ଫେକ୍ସନ୍ ଚାଲୁରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସମସ୍ତ ସି ଏଚ ସି, ଓ.ପି.ଏଚ.ସି ରେ ଆବଶ୍ୟକୀୟ ଚିକିତ୍ସା ସୁବିଧା ଓ ଔଷଧ ମହଜୁଦ ରଖିବାକୁ, ଯେଉଁ ରୋଗୀମାନେ ଚିକିତ୍ସାଳୟକୁ ଆସିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ରାପିଡ ରେସପନ୍ସ ଟିମ୍ ପଠାଇ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟ ଓ ଅଙ୍ଗନୱାଡିରେ ଥିବା ଜଳ ଉତ୍ସ ଗୁଡ଼ିକୁ ଉପଯୁକ୍ତ ବିଶୁଦ୍ଧିକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଜିଲ୍ଲାରେ ରୋଗୀ ସଂଖ୍ୟା କ୍ରମେ କ୍ରମେ କମୁଥିବା ଶୁଭ ଲକ୍ଷଣ। ପାଉଚ ପାଣି ଓ ବଟଲ୍ ରେ ନର୍ମାଲ ପାଣି ତିଆରି କରୁଥିବା ଫ୍ୟାକ୍ଟ୍ରି ର ମାନ ପରୀକ୍ଷଣ କରାଯାଇ ଅଶୁଦ୍ଧ ଥିଲେ ଏହା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପରିବାରକୁ ୨ ଟି ସାବୁନ୍ ଟଏଲେଟ୍ ପାଇଁ ଏବଂ ଖାଇବା ପୂର୍ବରୁ ବ୍ୟବହାର କରିବାକୁ ବଣ୍ଟନ କରାଯାଉଥିବା ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ବିଜୟ ମିଶ୍ର, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ୍ ର ଡିନ୍ ତଥା ଅଧ୍ୟକ୍ଷ ଡ଼ଃ ସୀତାରାମ ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଂଜନ ଦେହୁରୀ, ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଆଜି ଜିଲ୍ଲାରେ ୧୩୬ ଜଣ ନୂତନ ରୋଗୀ ଆଡମିଟ ହୋଇଥିବାବେଳେ ୧୫ ଜଣଙ୍କୁ ରେଫର କରାଯାଇଛି। ୧୧୦ଜଣଙ୍କୁ ସୁସ୍ଥ ପରେ ଡିସ୍ଚାର୍ଜ କରାଯାଇଛି ଓ ୧୫୪ ରୋଗୀ ବିଭିନ୍ନ ଚିକିତ୍ସାଳୟ ରେ ଚିକିତ୍ସା ହେଉଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031