Indus Valley Times

ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା : ପତ୍ନୀ , ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ

 Breaking News

ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା : ପତ୍ନୀ , ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ

July 15
14:39 2021

ଗଜପତି ୧୫/୭ : ପାରଳାଖେମୁଣ୍ଡି ACFO ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ବାମଦେବ ସିଂ। ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି । ଅଭିଯୋଗକୁ ଆଧାର କରି ଡିଓଫଓ ସଂଗ୍ରାମ କେଶରୀ ବେହେରା, ସ୍ତ୍ରୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ୍ ନମ୍ବର ୧୪୧/୨୦୨୧ରେ ହତ୍ୟା ମାମଲା ଓ ହତ୍ୟା ଷଡଯନ୍ତ୍ର କରାଯାଇଥିବା ଦଫା ନେଇ ତଦନ୍ତ ଆରମ୍ଭ କରିବ । ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବେ ବୋଲି କହିଛନ୍ତି ଏଏସପି ।
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ସୋମବାର ବିଳମ୍ବିତ ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବାବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହେବାରୁ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଥିଲେ ସୋମ୍ୟରଞ୍ଜନ । ମୃତ୍ୟୁ ସମ୍ପର୍କରେ ନବ ବିବାହିତା ସ୍ତ୍ରୀ ମୁହଁ ଖୋଲୁ ନଥିବା ବେଳେ ପୁଅର ମୃତ୍ୟୁ ପାଇଁ ବୋହୂଙ୍କୁ ଦାୟୀ କରିଛନ୍ତି ଶ୍ବଶୁର । ଘଟଣା ନୂଆ ମୋଡ ନେଇଥିବା ବେଳେ ସୌମ୍ୟଙ୍କ ମୃତ୍ୟୁ ପଛରେ ଡିଏଫଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ତାଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ସୋମ୍ୟଙ୍କ ପରିବାର । ଘଟଣାରେ ଡିଏଫଓଙ୍କ ଭୂମିକା ଏବେ ସନ୍ଦେହ ଘେରରେ ।
ସୋମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସନ୍ଦେହ କରୁଥିବା ବେଳେ ତାଙ୍କ ବଡ ଭାଇ ଏହି ଘଟଣାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ଆଣିଛନ୍ତି । ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଭାରତୀ ଏବଂ ବନଖଣ୍ଡ ଅଧିକାରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବାରୁ ଉଭୟ ମିଳିମିଶି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଯୋଜନା କରିଥିଲେ । ସୌମ୍ୟରଞ୍ଜନଙ୍କୁ ଡ୍ୟୁଟି ଆଳରେ ବିଭିନ୍ନ ସମୟରେ ବାହାରକୁ ପଠାଯାଉଥିଲା । ତାଙ୍କ ଅନିଚ୍ଛା ସତ୍ତ୍ବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା । ଯାହାର ଫାଇଦା ନେଇ ବିଦ୍ୟାଭାରତୀଙ୍କ ସହ ମିଶିବାର ସୁଯୋଗ ପାଉଥିଲେ । ଡିଏଫଓଙ୍କ ଏଭଳି କାର୍ଯ୍ୟ କଳାପକୁ ସହଯୋଗ କରୁଥିଲେ ରୋଷେୟ । ଏଭଳି ଅଭିଯୋଗ କରିଛନ୍ତି ସୋମ୍ୟଙ୍କ ବଡଭାଇ ।
ଅର୍ଦ୍ଧଦଗ୍ଧ ଅବସ୍ଥାରେ ଥିବାବେଳେ ଚିକିତ୍ସାରେ ଜାଣିଶୁଣି ବିଳମ୍ବ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପାରଳାଖେମୁଣ୍ଡି ବିଶାଖାପାଟଣା ନିକଟରେ ହୋଇଥିବା ବେଳେ ଜାଣିଶୁଣି କଟକ ସ୍ଥାନାନ୍ତର କରାଗଲା । ଯାହା ଫଳରେ ସୌମ୍ୟଙ୍କ ଚିକିତ୍ସାରେ ବିଳମ୍ବ ହୋଇ ତାଙ୍କର ମୃତ୍ୟୁ ଘଟିଛି । ସୌମ୍ୟଙ୍କ ମୃତ୍ୟୁ ଘଟଣା ରହସ୍ୟମୟ ରହିଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ଉପରେ ଉଠିଛି ଅଙ୍ଗୁଳି । ଏସମ୍ପର୍କରେ ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାରେ ପୋଲିସର ତଦନ୍ତକୁ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ।
ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏହାର ତଦନ୍ତ କେଉଁଆଡେ ଯାଉଛି ଏବଂ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ କେବେ ଉନ୍ମୋଚିତ ହେଉଛି ତାହା ଦେଖିବା ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031