Indus Valley Times

ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

November 15
19:01 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୫/୧୧: ଶୁକ୍ରବାର ଅପରାହ୍ନ ୩.୦୦ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗର ଧାନ କ୍ରୟ କମିଟି ସଦସ୍ୟ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ ତଥା ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥଲେ।
ଚଳିତ ବର୍ଷ ଜିଲ୍ଲାର ୧୫୫ ଟି ଧାନ କ୍ରୟ କେନ୍ଦ୍ରରୁ ଜିଲ୍ଲାର ୧୫ ଗୋଟି ମିଲରଙ୍କ ଜରିଆରେ ଧାନ କ୍ରୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ପ୍ରକାଶ କରିଥିଲେ। ଜିଲ୍ଲାର ସମସ୍ତ ୧୪୦ ଗୋଟି ସୋସାଇଟି ଏବଂ ଦୁଇ ଗୋଟି ନିୟନ୍ତ୍ରିତ ବଜାର କମିଟି ୨୦୨୫-୨୬ ବର୍ଷରେ ଧାନ କ୍ରୟ କରିବା ପାଇଁ ପ୍ରସ୍ତୁତ ଥିବା କଥା ଜିଲ୍ଲା ସମବାୟ ନିବନ୍ଧକ ତଥା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଜଣାଇଥିଲେ।
ଜିଲ୍ଲାରେ ଧାନ କ୍ରୟ ତା ୦୭.୦୧.୨୦୨୬ରିଖ ଠାରୁ ଆରମ୍ଭ ହେବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ଚାଷୀ ମାନଙ୍କର ଧାନର ପରିମାଣକୁ ଦେଖି ସପ୍ତାହକୁ କେତେଦିନ ଧାନ କ୍ରୟ କରାଯିବ ତାହା ଜିଲ୍ଲା ସମବାୟ ନିବନ୍ଧକ ପ୍ରକାଶ କରିଥିଲେ।
ଜୟଦେବ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଳମ୍ବରେ ଧାନ ଅମଳ ହେଉଥିବାରୁ ବିଳମ୍ବରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ସଭାରେ ପ୍ରସ୍ତାବ ଦେଇଥିଲେ।
ଏହି ସମ୍ବନ୍ଧରେ ଜିଲ୍ଲାପାଳ ଜୟଦେବ ନିର୍ବାଚନ ମଣ୍ଡଳୀର ଧାନ କୁ ତା ୧୪.୦୧.୨୦୨୬ ରିଖ ପରେ କ୍ରୟ କରାଯିବାକୁ ସରକାରଙ୍କୁ ନିବେଦନ କରିବା ପାଇଁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମାନ୍ୟବର ବେଗୁନିଆ ବିଧାୟକ ଧାନ ମଣ୍ଡିରୁ ଧାନ ତୁରନ୍ତ ଉଠାଇନେବା ପାଇଁ ମିଲର ମାନଙ୍କୁ କହିଥିଲେ ନଚେତ୍ ଚାଷୀଙ୍କ ଧାନ ଖଳାରେ ବାରହା ଓ ହାତୀ କବଳରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନଙ୍କ ପକ୍ଷେ କଷ୍ଟସାଧ୍ୟ ହେବ ବୋଲି ଚିନ୍ତା ପ୍ରକଟ କରିଥିଲେ।
ମାନ୍ୟବର ବିଧାୟକ ଖୋର୍ଦ୍ଧା ଚାଷୀଙ୍କ ଧାନ କିପରି ସୂଚାରୁ ରୂପେ କ୍ରୟ କରାଯାଇ ସେମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସେମାନଙ୍କର ଧାର୍ଯ୍ୟ ପ୍ରାପ୍ୟ ଅର୍ଥ ପାଇ ପାରିବେ ତା ଉପରେ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରିଥଲେ। ପରିଶେଷରେ ଜିଲ୍ଲାପାଳ ମଣ୍ଡି ଗୁଡିକରେ ମଣ୍ଡି ନୋଡାଲ ଅଫିସର୍ ତଥା ମଣ୍ଡି ସୁପରଭାଇଜର ମାନେ ରହି ସମବାୟ ସମିତି ସ୍ତରୀୟ କମିଟି ସହ ଯୋଗାଯୋଗ କରି ସମସ୍ତ ଚାଷୀଙ୍କର ଧାନକୁ କ୍ରୟ କରିବା ପାଇଁ ଯୋଗାଣ ଅଧିକାରୀ ଓ ସମବାୟ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମସ୍ତ ଧାନ କ୍ରୟ କମିଟି ସଦସ୍ୟ ସଦସ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930