Indus Valley Times

ସ୍ତ୍ରୀ ହତ୍ୟା ପଛରେ ସ୍ବାମୀର ହାତ !ସନ୍ଦେହରେ ୪ ଜଣଙ୍କୁ ଧରି ପୋଲିସର ତନାଘନା

 Breaking News

ସ୍ତ୍ରୀ ହତ୍ୟା ପଛରେ ସ୍ବାମୀର ହାତ !ସନ୍ଦେହରେ ୪ ଜଣଙ୍କୁ ଧରି ପୋଲିସର ତନାଘନା

December 13
12:16 2024

ବଣାଇଁ,୧୩/୧୨: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ବୁଧବାର ଜଣେ ୭ ମାସର ଗର୍ଭବତୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତା ମହିଳା ହେଲେ ସାମ୍ୟମୟୀ (୩୧)। ଏହି ଘଟଣାରେ ୪ ଜଣ ଅଟକ ରହିଥିବା ସୂଚନା ମିଳିଛି। ସ୍ବାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଓ ଗାଁର ୨ ଯୁବକ ଅଟକ ରହିଛନ୍ତି। ହତ୍ୟା ସମ୍ପୃକ୍ତି ସନ୍ଦେହରେ ପୋଲିସ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ଲୁଟ୍ କରିବାକୁ ଆସି ସାମ୍ୟମୟୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ବାମୀ ଦେବେନ ବେହେରା କହୁଥିବାବେଳେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଟିକାୟତପାଲି ଥାନା ପୋଲିସ ଏକ ହତ୍ୟା ମାମଲା ( ନଂ. ୮୭/୨୦୨୪) ରୁଜୁ କରି ଘଟଣାର ତଦନ୍ତ କରୁଛି। ଖବର ଲେଖା ହେବା ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହୋଇନାହିଁ। ଗୁଳି ଯୋଗୁ ତାଙ୍କର କେଉଁ ଅଙ୍ଗ ପ୍ରଭାବିତ ହୋଇଛି ତାହା ଜାଣିବା ପାଇଁ ହାଇ କ୍ୱାଲିଟି ଏକ୍ସ-ରେ ନିମନ୍ତେ ମୃତଦେହକୁ ସୁନ୍ଦରଗଡ଼ ପଠାଯାଇଥିଲା।
ସାମ୍ୟମୟୀଙ୍କ ସ୍ବାମୀ ଦେବେନଙ୍କ କହିବାନୁଯାୟୀ, ବୁଧବାର ରାତିରେ ସେମାନେ ସ୍ବାମୀସ୍ତ୍ରୀ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ସାମ୍ୟମୟୀ ଉଠିଥିଲେ। ଘରର ମୁଖ୍ୟ କବାଟ କେହି ବାଡ଼େଇବା ଶବ୍ଦ ଶୁଣି ସେ କବାଟ ଖୋଲିଥିଲେ। ଏହାପରେ ଚିତ୍କାର ଓ ଗୁଳି ଫୁଟିବା ଶବ୍ଦ ଶୁଣି ଦେବେନ ବାହାରକୁ ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାମ୍ୟମୟୀ ତଳେ ପଡ଼ିଥିଲେ। ତାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ୍ ଲୁଟି ନେବା ପରେ ଗୁଳିମାଡ଼ କରିଥିଲେ ବୋଲି ଦେବେନ କହିଛନ୍ତି। ତାଙ୍କ କହିବାନୁଯାୟୀ ପଡ଼ୋଶୀଙ୍କ ସହାୟତାରେ ତୁରନ୍ତ ସାମ୍ୟମୟୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ସାମ୍ୟମୟୀଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ପୀତାମ୍ବର ବେହେରା ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ସାମ୍ୟମୟୀଙ୍କ ବାପଘର ଛେଣ୍ଡିପଦା ଓ ସେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମ୍ପର୍କୀୟା ଭଉଣୀ ବୋଲି ଜଣାପଡ଼ିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି। ପୀତାମ୍ବର ବେହେରାଙ୍କ ଏତଲାରେ ଦର୍ଶାଯାଇଛି, ୨୦୨୪ ଫେବୃଆରୀ ୭ରେ ଝିଅର ବିବାହ ହୋଇଥିଲା। ଝିଅ ୭ମାସର ଗର୍ଭବତୀ ଥିଲା। ବୁଧବାର ବିଳମ୍ବିତ ରାତିରେ ଦେବେନଙ୍କ ଜଣେ ମାଉସୀ ଫୋନ କରି କହିଥିଲେ, କେହି ଅଜଣା ବ୍ୟକ୍ତି ସାମ୍ୟମୟୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଜ୍ୱାଇଁ କି ଶ୍ୱଶୁର ଶାଶୁ ତାଙ୍କୁ ନ ଜଣାଇବା ଘଟଣାକୁ ଅଧିକ ରହସ୍ୟମୟ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930