Indus Valley Times

ଯାଜପୁର ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଯାଜପୁର ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
January 03
10:21 2026

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର, ୩/୧ : ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି-୨୦୨୬” ଓ ସ୍ୱଦେଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ମାନ୍ୟବର ସମବାୟ, ହସ୍ତତନ୍ତ ଏବଂ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ସ୍ଵାଗତ ବକ୍ତବ୍ୟ ଦେବା ସହ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।
ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯଯାତି ମହୋତ୍ସବକୁ ସୁରୁଖୁରୁରେ ପାଳନ ପାଇଁ ଆବଶ୍ୟକୀୟ ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ମାନ୍ୟବର ସାଂସଦ ଶ୍ରୀ ବେହେରା ଯଯାତି ସ୍ମରଣିକା ପତ୍ରିକା ପାଇଁ ଏବେଠାରୁ ପ୍ରସ୍ତୁତି ଏବଂ ଲେଖା ସଂଗ୍ରହ ଆବଶ୍ୟକ ବୋଲି ମତ ଦେଇଥିଲେ। ଚଳିତ ବର୍ଷ ସ୍ୱଦେଶୀ, ଆତ୍ମନିର୍ଭର, ଏକ ଜିଲ୍ଲା ଏକ ଉତ୍ପାଦ ଏବଂ ଯାଜପୁର ଅସ୍ମିତା ଭଳି ଥିମକୁ ନେଇ ମହୋତ୍ସବ ପାଳିତ ହେବ ବୋଲି ଜିଲ୍ଲାପାଳ ଶ୍ରୀ କର କହିଥିଲେ।
ଫେବୃଆରୀ ଦ୍ଵିତୀୟ ସପ୍ତାହରେ ମହୋତ୍ସବ ଆୟୋଜନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ଅତିଥି ଭାବେ ଏହାର ଉଦଘାଟନ ପାଇଁ ଅନୁରୋଧ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହାସହ ମହୋତ୍ସବରେ ଓରମାସ ପଲ୍ଲୀଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା ମଧ୍ୟ ଆୟୋଜିତ ହେବ। ଏହି ପ୍ରଦର୍ଶନୀରେ ଯାଜପୁର ଜିଲ୍ଲାର ଜିଆଇ ମାନ୍ୟତା ପ୍ରାପ୍ତ ଗୋପାଳପୁର ହସ୍ତତନ୍ତ, ଗୋଲ୍ଡେନ ଗ୍ରାସ ହସ୍ତଶିଳ୍ପ, ପଥର କାରୁକାର୍ଯ୍ୟ ଇତ୍ୟାଦି ସ୍ଥାନ ପାଇବ। ରାଜ୍ୟର ତଥା ସ୍ଥାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ଯାଜପୁରର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ଗଙ୍ଗା ଆଳତୀ ଭଳି ଢଙ୍ଗରେ ଯାଜପୁରର ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଆଳତୀ ପାଇଁ ଜିଲ୍ଲାପାଳ ବୈଠକରେ ପ୍ରସ୍ତାବ ରଖିଛନ୍ତି। ଏହାସହ ମହୋତ୍ସବ ଉପଲକ୍ଷେ ସବ-କମିଟିଙ୍କ ସହଯୋଗରେ କବି ସମ୍ମିଳନୀ, ଆଲୋଚନା ଚକ୍ର, ସ୍ମରଣିକା ପ୍ରକାଶନ ଭଳି ବିଭିନ୍ନ କାର‌୍ୟ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।
କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ମହୋତ୍ସବରେ ଜିଲ୍ଲାର ଶିଳ୍ପ ଭିତ୍ତିଭୂମି ଓ କାରିଗରୀକୁ ପ୍ରଦର୍ଶନ କରିବା ସହ ସ୍କୁଲ କଲେଜ୍ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ଉପରେ ଗୁରୁତ୍ବ ଦେବା ପାଇଁ କହିଥିଲେ। ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ମହୋତ୍ସବ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଦିଗରେ ତତ୍ପର ହେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ବିଶିଷ୍ଟ ସାହିତ୍ୟିକ, ଲେଖକ, ସଂସ୍କୃତି ଗବେଷକ, ଏବଂ ବରିଷ୍ଠ ନାଗରିକ ଏହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଯଯାତି ମହୋତ୍ସବ ମାଧ୍ୟମରେ ଯାଜପୁରର ଐତିହ୍ୟ ଏବଂ ସଂସ୍କୃତିକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବା ଉପରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ।
ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930