Indus Valley Times

ଅଧା ଓଡ଼ିଶାରୁ ଫେରିଲା ମୌସୁମୀ, ୧୩ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

 Breaking News

ଅଧା ଓଡ଼ିଶାରୁ ଫେରିଲା ମୌସୁମୀ, ୧୩ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଅଧା ଓଡ଼ିଶାରୁ ଫେରିଲା ମୌସୁମୀ, ୧୩ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
October 12
09:36 2021

ଭୁବନେଶ୍ୱର, ୧୨/୧୦ : ଓଡ଼ିଶାରେ ସକ୍ରିୟ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଅଧା ଓଡ଼ିଶାରୁ ଫେରିଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଛି । ସୋମବାର ସୁଦ୍ଧା ଅନୁଗୁଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ଫେରିଯାଇଛି ।
ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ସେହିପରି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହେଉଛି ।
ଯାହାର ପ୍ରଭାବରେ ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । ଯାହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ।
୧୫ ତାରିଖ ବେଳକୁ ଗଭୀର ଅବପାତ (ୱେଲ୍ ମାର୍କଡ୍)ରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ମାଡ଼ ହେବ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନାଯୋଗ୍ୟ, ଜୁନ୍ ୩ରେ କେରଳ ଛୁଇଁଥିଲା ମୌସୁମୀ । କେରଳ ଛୁଇଁବାର ପାଖାପାଖି ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥିଲା ।
ଚଳିତବର୍ଷ ରାଜ୍ୟରେ ବିଶେଷ ମୌସୁମୀ ବର୍ଷା ହୋଇନି । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୫୮ ମିଲିମିଟର ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୫୩, କୋରାପୁଟରେ ୪୮, ଅନୁଗୁଳରେ ୪୩, ଗଜପତିରେ ୪୦, ମୟୂରଭଞ୍ଜରେ ୩୭ ଓ କେନ୍ଦୁଝରେ ୩୬ ମିଲିମିଟର ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
ସେହିପରି ମାଲକାନଗିରି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ସ୍ୱାଭାବିକଠୁ ଅତ୍ୟଧିକ ବର୍ଷା ହୋଇଥିବା କେନ୍ଦ୍ର ସୂଚନା ଦେଇଛି ।
ସୋମବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଚାନ୍ଦବାଲିରେ ୯ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱର ଓ ପାରାଦୀପରେ ସ୍ୱଳ୍ପ ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031