Indus Valley Times

ବୌଦ୍ଧଜିଲ୍ଲାର ଫଟୋଗ୍ରାଫର ୟୁନିୟନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

 Breaking News

ବୌଦ୍ଧଜିଲ୍ଲାର ଫଟୋଗ୍ରାଫର ୟୁନିୟନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

August 19
21:03 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୮ : ବୌଦ୍ଧ ଶ୍ରୀରଘୁନାଥ ମନ୍ଦିର ନିକଟସ୍ଥ ମାରୁତୀ ମଣ୍ଡପଠାରେ ଜିଲ୍ଲା ଫଟୋଗ୍ରାଫର ୟୁନିଅନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ୟୁନିଅନର ପୂର୍ବତନ ସଭାପତି ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ତିନୋଟି ବ୍ଲକର ଫଟୋଗ୍ରାଫରମାନେ ଯୋଗଦେଇଥିଲେ ।
ବୈଠକରେ କରୋନା ମହାମାରୀ ସମୟରେ ଫଟୋଗ୍ରାଫରମାନେ ସମ୍ମୁଖିନ ହୋଇଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘ ଦୁଇବର୍ଷ ହେଲା କରୋନା ଯୋଗୁଁ ସମସ୍ତ ବିବାହ,ବ୍ରତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ବର୍ତମାନ ସୁଦ୍ଧା ସମସ୍ତ ଫଟୋଗ୍ରାଫର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।
ତେଣୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଫଟୋଗ୍ରାଫର ଏକଜୁଟ ହୋଇ ସେମାନଙ୍କ ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବା ସହିତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ବୈଠକରେ ଜିଲ୍ଲାର ୪୦ ଜଣ ଫଟୋଗ୍ରାଫର ଯୋଗଦେଇଥିଲେ । ଏହି ଅବସରରେ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବରେ ସୁନୀଲ କୁମାର ନନ୍ଦଙ୍କୁ ମନୋନୀତ କରାଯାଇଥିବାବେଳେ ଉପସଭାପତି ମିହିର ଚାନ୍ଦ,ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ,ସହ ସମ୍ପାଦକ ଚିତ୍ତରଂଜନ ପ୍ରଧାନ ଓ ସୁବ୍ରତ କୁମାର ରାଜ ଏବଂ କୋଷାଧ୍ୟକ୍ଷ ଭାବରେ ଶାନ୍ତନୁ କୁମାର ଝାଙ୍କରଙ୍କୁ ମନୋନୀତ କରାଯାଇଥିଲା ।
ବୌଦ୍ଧ: ଗଂଜେଇ ସହ ସ୍କୋର୍ପିଓ ଗାଡି ଜବତ ୩ ଗିରଫ
ବୌଦ୍ଧ,୧୯/୮: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ଚୋରା ଚାଲାଣ ବେଳେ ଏକ ସ୍କୋର୍ପିଓ ଗାଡି ସହ ଗଂଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ମୁତାବକ ଗୁରୁବାର ଦିନ ଏକ ସ୍କୋର୍ପିଓ ଗାଡି ( ଓଡି-୦୨ଏସ -୫୫୮୮) ଫୁଲବାଣୀ ପଟୁ ବୌଦ୍ଧ ଆଡକୁ ଗଂଜେଇ ନେଇ ଆସୁଥିବା ଖବର ପାଇ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଚାରିଛକ -ଫୁଲବାଣୀ ରାସ୍ତାର ଝାଡରାଜିଙ୍ଗ ଠାରେ ସକାଳୁ ସକାଳୁ ଜଗି ରହିଥିଲେ । ଗାଡିକୁ ରାସ୍ତା ଉପରେ ସନ୍ଦେହରେ ଅଟକ ରଖି ତଳାସି କରିବାରେ ଗାଡିରୁ ଏକ ବସ୍ତାରେ ଭର୍ତ୍ତି ହୋଇଥିବା ଗଂଜେଇ ବାହାରିଥିଲା ।
ଅବକାରୀ ବିଭାଗ ପକ୍ଷରୁ ଗାଡିରୁ ୨୧ ଗଂଜେଇ ସହ ଗାଡିଟିକୁ ଜବତ କରିଥିଲେ । ଗାଡିରେ ଥିବା ବୌଦ୍ଧ ଜିଲା କୁଇଲିସୁତା ଗ୍ରାମର ଚନ୍ଦନ ବେହେରା(୨୭) , କମିରା ଗ୍ରାମର ବିରେନ୍ଦ୍ର ପ୍ରଧାନ (୫୧) ଓ ବାଗବର ଗ୍ରାମର ଲବଣୀ ସେଠୀ(୨୮)ଙ୍କୁ ଗିରଫ କରାଯାଇଛି ।
ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଇନିସପେକ୍ଟର ସାଗରିକା ପ୍ରଧାନ, ସବଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଏଏସଆଇ ରୁପେଶ ମୁଖି , କନେଷ୍ଠେବଳ ପ୍ରିୟଜନ କହଁର, ପବିିତ୍ର କୁମାର ଜଗଦେବ ଓ କୈଳାସ ସେଠୀ ପ୍ରମୁଖ ସାମିଲ ଥିଲେ ।
ବନ ବିଭାଗ ଦ୍ୱାରା ଗାଡି ନିଲାମିରେ ଅନିୟମିତତା ଅଭିଯୋଗ
ବୌଦ୍ଧ,୧୯/୮: ବୌଦ୍ଧ ବନ ବିଭାଗ ପକ୍ଷରୁ ଏକ ଜିପ ବିକ୍ରି ପାଇଁ ଟେଣ୍ଡର ପ୍ରକ୍ରିିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ, ବୌଦ୍ଧ ବନଖଣ୍ଡ ପକ୍ଷରୁ ମହେନ୍ଦ୍ରା ଏଣ୍ଡ ମହେନ୍ଦ୍ରା (ଓଆର ୦୨ଇ ୩୭୪୮) ଜିପକୁ ସେଲ ପାଇଁ ବନ ବିଭାଗ ପକ୍ଷରୁ ଚିଠି ନମ୍ବର ୪୨୪୧ରେ ଗତ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ବିଜ୍ଞପ୍ତି ଅନୁଯାଇ ଗତ ୪ ତାରିଖ ଠାରୁ ଟେଣ୍ଡର ପେପର କିଣା ଓ ପେପର ପକାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଗତ ୧୮ ତାରିଖ ଦିନ ସାଢେ ଚାରିଟାରେ ପକାଇବାର ଶେଷ ସମୟ ରହିଥିଲା । ୧୯ ତାରିଖ ଦିନ ୧୧ ଟା ସମୟରେ ଟେଣ୍ଡର ପେପର ଖୋଲିବାର ସମୟ ଥିଲା । ଏଥିରେ ୭ ଜଣ ଅବେଦନକାରୀ ଟେଣ୍ଡର ପେପର କିଣି ପକାଇଥିଲେ ।
ହେଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ପେପର କୌଣସି କାରଣରୁ କଟି ଯାଇଥିଲା । ହେଲେ ବାକି ୪ ଜଣ ଆବେଦନକାରୀ ଟେଣ୍ଡର ପ୍ରକ୍ରିୟାରେ ରହିଲେ । ଏହି ଚାରି ଜଣଙ୍କ ମଧ୍ୟରୁ ଜଣେ ଆବେଦନକାରୀ ପୋଷ୍ଟାଲ ମାଧ୍ୟମରେ ଆବେଦନ କରିଥିଲେ । ତାଙ୍କ ଆବେଦନପତ୍ର ୧୮ ତାରିଖ ଅପରାହ୍ନ ୫ଟା ୭ ମିନିଟରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ନେଇ ଡାକ ବିଭାଗର ରେକର୍ଡରୁ ଜଣାପଡିଲା ।
ହେଲେ ନିର୍ଦ୍ଧାରିତ ସମୟ ପରେ ଡାକ ଦ୍ୱାରା ଆସିଥିବା ଆବେଦନ ପତ୍ରକୁ କିପରି ଗ୍ରହଣ କରାଗଲା ଏହା ନିୟମ ବିରୋଧ ବୋଲି ଆବେଦନ ପ୍ରକ୍ରିୟାରେ ସାମିଲଥିବା ଅବଦୁଲ ମହସିନ ଖାଁ ଅଭିଯୋଗ କରିଛନ୍ତି । ଏବଂ ଟେଣ୍ଡର ପ୍ରକ୍ରିୟାକୁ ସଂପୂର୍ଣ୍ଣ ବାତିଲ କରିବାକୁ ସେ ଦାବି କରିଛନ୍ତି ।
ଏନେଇ ସେ ବୌଦ୍ଧ ବନଖଣ୍ଡଙ୍କ ଠାରେ ଅଭିଯୋଗ କରିଛନ୍ତି । ଏନେଇ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରରୁ ଟେଣ୍ଡର ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନ ଥିବା ପ୍ରକାଶ କରିବା ସହିତ ଚିଠି ଗୁଡିକ ୧୧ଟାରୁ ୧୨ ମଧ୍ୟରେ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ସଦଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ
ବୌଦ୍ଧ,୧୯/୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ତଥା ସଦଭାବନା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ଜାତି,ଧର୍ମ,ସଂପ୍ରଦାୟ,ଭାଷାକୁ ନେଇ କୌଣସି ବିଭେଦ ନରଖି ସମସ୍ତଙ୍କ ମଧ୍ୟରେ ଭାବନାତ୍ମକ ଏକତା ଏବଂ ସଦଭାବନା ରଖି କାର୍ଯ୍ୟ କରିବା ହିଂସାର ଆଶ୍ରୟ ନନେଇ ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ମାଧ୍ୟମରେ ସମାଧାନ ପାଇଁ ଶପଥ ପାଠ କରାଯାଇଥିଲା ।
ଏହି ଶପଥ ପାଠ ଉତ୍ସବରେ ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର,ଡେପୁଟି କଲେକ୍ଟର ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ଅବନୀକାନ୍ତ ସାହୁ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ,ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ,ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଦିବସ ଉପଲକ୍ଷେ ବୌଦ୍ଧର ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031