Indus Valley Times

ଭାରତର ୧୨ଟି ଉପକୂଳବର୍ତ୍ତୀ ସହର ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା

 Breaking News

ଭାରତର ୧୨ଟି ଉପକୂଳବର୍ତ୍ତୀ ସହର ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା

August 10
19:32 2021

ନୂଆଦିଲ୍ଲୀ, ୧୧/୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ବିଶ୍ୱ ତାପାୟନର ସାଂଘାତିକ ରିପୋର୍ଟ ଦେଇଛି ଜାତିସଂଘ। ଜଳବାୟୁର ପରିବର୍ତ୍ତନ ଭାରତରେ ମଧ୍ୟ ଦେଖିବାକୁ ମିଳିବ। ବରଫ ପାହାଡ଼ ତରଳିବା ସହ ଭୟଙ୍କର ମରୁଡ଼ି ଭାରତକୁ ଘାଇଲା କରିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ୧୨ଟି ଉପକୂଳବର୍ତ୍ତୀ ସହର ଶତାବ୍ବୀର ଶେଷ ବେଳକୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି।
ଏହା ମଧ୍ୟରେ ଓଡ଼ିଶାର ପାରାଦୀପ ବି ରହିଛି। ସମୁଦ୍ର ଜଳସ୍ତର ବଢ଼ିବା ପରେ ପାରାଦୀପ ସହର ଏହା ମଧ୍ୟରେ ଲୀନ ହୋଇଯିବାର ଆଶଙ୍କା ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି (ଆଇପିସିସି) ରିପୋର୍ଟ ପ୍ରକାଶ କରିଛି।
ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ତାପାନ ଯୋଗୁ ବରଫ ଖଣ୍ଡ ମାନ ତରଳି ସମୁଦ୍ରରେ ମିଶିବ। ଏହାଦ୍ୱାରା ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ମୁମ୍ବାଇ, ଚେନ୍ନାଇ, କୋଚି, ବିଶାଖାପଟନମ ଓ ପାରାଦୀପ ଭଳି ସହରଗୁଡ଼ିକ ପ୍ରାୟ ୩ ଫୁଟ ଜଳ ସ୍ତର ତଳେ ରହିବେ। ଏହାର ଅର୍ଥ ଏହି ସହର ଗୁଡ଼ିକରେ ସମୁଦ୍ର ମାଡ଼ି ସ୍ଥଳ ଭାଗରୁ ୩ ଫୁଟ ଉପରେ ପ୍ରଭାହିତ ହେବ।
ଆଇପିସିସିର ରିପୋର୍ଟକୁ ଆକଳନ କରି ନାସା ସମଗ୍ର ବିଶ୍ୱର ସମୁଦ୍ର ପତ୍ତନକୁ ମାପି ଥାଏ। ଗତକାଲି ଆଇପିସିସି ରିପୋର୍ଟ ଦେବା ପରେ ନାସା ଏହାର ଆକଳନ କରିଥିଲା। ଏହି ସମୟରେ ନାସା ସମୁଦ୍ର ଜଳରେ ଲୀନ ହେବାକୁ ଥିବା ୧୨ଟି ଭାରତୀୟ ସହରକୁ ଚିହ୍ନଟ କରିଛି।
ଏହି ସହର ଗୁଡ଼ିକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବେ। ସେହିପରି ଏଠାରେ ସମୁଦ୍ରର ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। ଯଦି ସମୟ ଥାଉ ଥାଉ ଏଗୁଡ଼ିକ ରୋକା ଯାଇ ନପାରିବ, ତା’ହେଲେ ସ୍ଥିତି ସାଂଘାତିକ ହେବ ବୋଲି ନାସା ଆକଳନ କରିଛି।
୧୯୮୮ ମସିହାରୁ ଆଇପିସିସି ପ୍ରତି ୫ରୁ ୭ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଘଟୁଥିବା ସମସ୍ୟା ସମ୍ପର୍କରେ ରିପୋର୍ଟ ଦେଇଥାଏ। ତାପମାତ୍ରାରେ ପରିବର୍ତ୍ତନ ଓ ବରଫ ଖଣ୍ଡ ତରଳିବା ଆଦି ବିଷୟକୁ ଆଇପିସିସି ତା’ ରିପୋର୍ଟରେ ସ୍ଥାନ ଦେଇଥାଏ।
ଆଇପିସିସି କହିଛି ଯେ ବିଶ୍ୱର ଅନ୍ୟ ପ୍ରାନ୍ତ ତୁଳନାରେ ଏସିଆ ମହାଦେଶରେ ସମୁଦ୍ର ଜଳ ସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି। ପୂର୍ବରୁ ସମୁଦ୍ର ଜଳ ସ୍ତର ପ୍ରତି ୧୦୦ ବର୍ଷରେ ଥରେ ବୃଦ୍ଧି ପାଉଥିଲା। କିନ୍ତୁ ୨୦୫୦ ସୁଦ୍ଧା ଏହା ପ୍ରତି ୬ରୁ ୯ ବର୍ଷ ମଧ୍ୟରେ ବୃଦ୍ଧି ପାଇ ସ୍ଥଳ ଭାଗକୁ ମାଡ଼ିବ।
ଏକବିଂଶ ଶତାବ୍ବୀରେ ସମୁଦ୍ର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବ। ଏହାର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଓ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିବ। ଏହି ସବୁ ଅଞ୍ଚଳ ସମୁଦ୍ର ପତ୍ତନରେ ଲୀନ ହୋଇଯିବ।
ରିପୋର୍ଟ ଅନୁସାରେ, ଗୁଜରାଟର କାଣ୍ଡଲାରେ ୧.୮୭ ଫୁଟ, ଓଖାରେ ୧.୯୬ ଫୁଟ, ବହୁନଗରରେ ୨.୭୦ ଫୁଟ, ମୁମ୍ବାଇରେ ୧.୯୦ ଫୁଟ, ମୋରମୁଗାଓରେ ୨.୦୬ ଫୁଟ, ମାଙ୍ଗାଲୋରରେ ୧.୮୭ ଫୁଟ, କୋଚିନରେ ୨.୩୨ ଫୁଟ, ପାରଦୀପରେ ୧.୯୩ ଫୁଟ, ଖିଦିରପୁରରେ ୦.୪୯ ଫୁଟ, ବିଶାଖାପଟନମରେ ୧.୭୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ ଓ ତୁତିକରନରେ ୧.୯ ଫୁଟ ଉଚ୍ଚରେ ସମୁଦ୍ର ଜଳ ଚାଲିବ।
ବିଶ୍ୱ ତାପାୟନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବାକୁ ଥିବା ବେଳେ ନିୟମିତ ଭାବେ ହିମାଳୟରେ ଥିବା ବରଫ ପାହାଡ଼ ମଧ୍ୟ ତରଳିବ। ଏହାଦ୍ୱାରା କୋଟିକୋଟି ଲୋକ ପ୍ରଭାବିତ ହେବେ। କାରଣ ହିମାଳୟ ସମ୍ବଳ ସହ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।
ଆଇପିସିସି ତା’ ରିପୋର୍ଟରେ କହିଛି ଯେ ପୃଥିବୀର ହାରାହାରି ତାପମାତ୍ରା ୧.୫ ଡିଗ୍ରି ସେଲ୍ସିୟସ ବଢ଼ିବ। ଏଥିପାଇଁ ଗ୍ରୀଷ୍ମ ପ୍ରଭାବ ଦେଖାଯିବ। ଅଧିକ ଦିନ ଗରମ ଓ କମ୍ ଦିନ ଶୀତ ଅନୁଭୂତ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031