Indus Valley Times

ରାଜ୍ୟରେ ‘ସାର’ର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ

 Breaking News

ରାଜ୍ୟରେ ‘ସାର’ର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ‘ସାର’ର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ
September 11
17:02 2025

ଭୁବନେଶ୍ୱର, ୧୧/୯ : ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ସାର ସମସ୍ୟା ନେଇ ବସିଥିବା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।
ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି । ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ ଏବଂ ଲାମ୍ପ୍ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ତାଗିଦ କରିବା ସହିତ କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ସେହି ସାରକୁ ନିକଟସ୍ଥ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯,୫୫,୦୦୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି ।
ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକ୍ ଟନ ସାର ବିକ୍ରି ହୋଇସାରିଛି ।
ଜିଲ୍ଲାରେ ମହଜୁତ ସାରର ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ ଏବଂ ଲ୍ୟାମ୍ସକୁ ବିଭିନ୍ନ ଗ୍ରେଡ଼ର ସାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ମାର୍କଫେଡ଼ର ଅଧିକାରୀମାନଙ୍କୁ ସାର ଯୋଗାଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ କରିବା, କଳାବଜାରୀ ରୋକିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ସାର ବଣ୍ଟନ କାର୍ଯ୍ୟକଳାପ ବିଷୟରେ ପଚାରି ବୁଝିଥିଲେ ଏବଂ କୌଣସି ସ୍ଥାନରେ ଚାଷୀମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031